ଚଳିତ ଶିକ୍ଷା ବର୍ଷରୁ ଛାତ୍ର ସଂସଦ ନିର୍ବାଚନ ଦାବିରେ ରାଜଭବନ ସମ୍ମୁଖରେ ଏଆଇଏସ୍ଏଫ୍ ର ବିକ୍ଷୋଭ ଓ ଦାବିପତ୍ର ଉପସ୍ଥାପନ।

By Jayntha Das

ଭୁବନେଶ୍ଵର: ୧୫/୭: ଚଳିତ ଶିକ୍ଷାବର୍ଷ ଠାରୁ ସମସ୍ତ କଲେଜ, ଵିଶ୍ଵ ଵିଦ୍ଯାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଏସ୍ଏଫ୍ ପକ୍ଷରୁ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ସହ ଦାବିପତ୍ର ଉପସ୍ଥାପନ କରାଯାଇଛି। ଗତ ୨୦୧୮ମସିହା ଠାରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ଵାଚନ ବନ୍ଦ କରାଯାଇଛି, ୨୦୨୦ମସିହାରେ ଓଡ଼ିଶା ଵିଶ୍ଵ ଵିଦ୍ଯାଳୟ ସଂଶୋଧନ ଆଇନ ପ୍ରଣୟନ କରି ସିନେଟ୍ ଓ ସିଣ୍ଡିକେଟ ରେ ଛାତ୍ର ପ୍ରତିନିଧି ବ୍ୟବସ୍ଥା ବନ୍ଦ କରାଯାଇଛି। ସେହିଭଳି ୨୦୨୦ ଜାତୀୟ ଶିକ୍ଷାନୀତି ୨୦୨୦ରେ ଛାତ୍ର ସଂସଦ ଗଠନ ସମ୍ପର୍କରେ ଉଲ୍ଲେଖ ହୋଇ ନାହିଁ। ଭାରତୀୟ ସଂସଦୀୟ ଗଣତନ୍ତ୍ର, ନେତୃତ୍ଵ ବିକାଶ, ସାମାଜିକ ଦାୟିତ୍ୱବୋଧ ଓ ଉତ୍ତରଦାୟିତ୍ଵର ମୂଳ ଭିତ୍ତି ଛାତ୍ର ସଂସଦ ନିର୍ଵାଚନକୁ ବନ୍ଦ କରି ଗଣତନ୍ତ୍ରକୁ ଦୁର୍ଵଳ କରିବାର ଷଡ଼ଯନ୍ତ୍ର କରାଯାଇଛି। ସମାଜର ନେତୃତ୍ଵ ବିକାଶର ଏନ୍ତୁଡ଼ିଶାଳ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ନେତୃତ୍ଵ ସୃଷ୍ଟିର ଭୃଣ ହତ୍ୟା କରା ଯାଇଛି। ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ରାଗିଙ୍ଗ୍ ଭଳି କୁତ୍ସିତ ଅପରାଧ ଓ ଏକଛତ୍ରବାଦ ନିକଟରେ ଛାତ୍ର ସମାଜ ଆତ୍ମ ସମର୍ପଣ କରିବା ପାଇଁ ବାଧ୍ୟ କରାଯାଉଛି।ଏହି ପୃଷ୍ଠଭୂମିରେ ଛାତ୍ର ସମାଜର ହକ ଏବଂ ଅଧିକାର ହାସଲ ପାଇଁ ଚଳିତ ଶିକ୍ଷାବର୍ଷରୁ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ମହାମହିମ ରାଜ୍ଯପାଳ ହସ୍ତକ୍ଷେପ କରିବାକୁ ଏଆଇଏସ୍ଏଫ୍ ପକ୍ଷରୁ ଦାବି କରାଯାଇଛି।

ଆଜି ପୂର୍ବାହ୍ନରେ ରାଜଭବନ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭ ରେ ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା,ସମ୍ପାଦକ କାହ୍ନୁ ଚରଣ ପରିଡା, ରାଜାରାମ ଡଙ୍ଗରୀ, ମନୋରଞ୍ଜନ ରାଉତ, ଅମରେଶ ପରିଡ଼ା, ଡୋଲେସ୍ବର ଖମାରୀ, ବିଶ୍ବରଂଜନ ଭୋଇ, ଅଭିଷେକ ପଣ୍ଡା, ଶିବା ସୁନାନୀ, ପପୁ ରାଉତ, ଶାସ୍ବତ ପତି, ହିତେଶ ମହାନ୍ତି , ଶୁଭ୍ରାରାଣୀ ସାହୁ, ପ୍ରତାପ ରେଡ୍ଡୀ, ଲିଙ୍କନ ବାଗ୍ ଓ ବିବେକ କୃଷ୍ଣ ପ୍ରମୁଖଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିଲା। ଶେଷରେ ମହାମହିମ ରାଜ୍ୟପାଳଙ୍କଠାରେ ଦାବି ପତ୍ର ଉପସ୍ଥାପନ କରାଯାଇଥିଲା।

Loading

Related posts